ବରଷ କେ ଆସେ ଛଅ ଗୋଟି ଋତୁ
ଏଇ ମରତ ଭୂଇଁରେ
ଶ୍ରାବଣ ମାସଟି ବରଷା ଋତୁରେ
ସ୍ଥାନ ପାଇଥାଏ ଭଲେ।।୧
ଶ୍ରାବଣେ ଫୁଟଇ ଶ୍ରାବଣ ଛତୁ ଲୋ
ଛତ୍ର ପ୍ରାୟ ଶୋଭା ପାଇ
ଏ ଧରଣୀ ରାଣୀ ଶ୍ରାବଣ ରେ ଭିଜି
ବାସ ଦିଏ ମହକାଇ।।୨
ଧାରା ଶ୍ରାବଣ ରେ ପୂଣ୍ୟ ନଦୀଜଳ
କାଉଡି କାନ୍ଧରେ ଧରି
ବୋଲବମ୍ କହି ପଥେ ଭିଜି ଥାନ୍ତି
ଯେତେ ମାନସିକ ଧାରୀ।।୩
ଶିବଙ୍କ ମସ୍ତକେ ଜଳାର୍ପଣ କରି
କରନ୍ତି ପୂଣ୍ୟ ଅର୍ଜନ
ଅଳପେ ସନ୍ତୋଷ ସେ ଚନ୍ଦ୍ରଶେଖର
ଆଶୁତୋଷ ଭଗବାନ।।୪
ଝରା ଶ୍ରାବଣ ରେ ଚଷା ର ଆନନ୍ଦ
ଭାଷାରେ ବର୍ଣି ନ ହୁଏ
ଝିପିରି ଝିପିରି ବରଷା ରେ ଭିଜି
ରୁଆ ପୋତା କରିଥାଏ।।୫
ଶ୍ରାବଣରେ ଭିଜି କାଗଜର ଡଙ୍ଗା
ପିଲାଏ ଭସାଇ ଥାନ୍ତି
ନାଲି ଟୁକୁ ଟୁକୁ ସାଧବାଣୀ ବୋହୁ
ଥିରି ଥିରି ଚାଲୁ ଥାନ୍ତି ।।୬
ନଦୀ ନାଳ ସଙ୍ଗେ ପୋଖରୀ ଗାଡ଼ିଆ
ଜଳେ ହୁଏ ପରିପୂର୍ଣ୍ଣ
ଭିଜନ୍ତି ଶ୍ରାବଣେ ଝିଙ୍କାରି ବେଙ୍ଗୁଲି
ଚାତକ ଶିଖୀ ପ୍ରସନ୍ନ।।୭
ଚିତାଲାଗି ସଙ୍ଗେ ରକ୍ଷା ବନ୍ଧନ ଯେ
ହୁଅଇ ଶ୍ରାବଣ ମାସେ
ଭିଜା ଶ୍ରାବଣରେ ଶିବ ସୋମବାର
ଭକ୍ତ କରନ୍ତି ହରଷେ।।୮
ବରଷା ରେ ଭିଜି ପ୍ରତି ଘରେ ଘରେ
ଲାଗେ ସର୍ଦ୍ଦି କାଶ ଜର
ହେଲେ ବି ଶ୍ରାବଣ ଜନ ମାନସରେ
ଖେଳାଏ ଫୁର୍ତ୍ତି ଫୁଆର।।୯
ନିଦାଘ ଗ୍ରୀଷ୍ମ ସ୍ବାଗତ ଜଣାଇ
ଧରାକୁ ଆଣେ ବରଷା
ଭିଜା ଶ୍ରାବଣ ଗୋ ପ୍ରତି ବର୍ଷ ଆସି
ପୂର୍ଣ୍ଣ କର ଅଭିଳାଷା।।୧୦
ସନ୍ଧ୍ୟାରାଣୀ ହୋତା
ଡାବୁଗାଁ , ନବରଙ୍ଗପୁର


0 Comments